ଟାଙ୍ଗରପାଲି ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼,୧୯/୯ (ଉତ୍କଳ ସମାଚାର):: ଟାଙ୍ଗରପାଲି ବ୍ଲକ ପରିସର ରେ ଜିଲ୍ଲା ପ୍ରଶାସନ ଦ୍ବାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ମୋଟ ୪୫ ଗୋଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୩୫ ଗୋଟି ବ୍ୟକ୍ତି ବିଶେଷ ଅଭିଯୋଗ ଗୁଡ଼ିକ ଥିବାବେଳେ ୧୦ ଗୋଟି ସାମୂହିକ ଅଭିଯୋଗ ଆଦି ରହିଥିଲା। ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୪ ଗୋଟି ଏବଂ ରେଡକ୍ରସ ଆର୍ଥିକ ସହାୟତା ନିମନ୍ତେ ଗୋଟିଏ ଆବେଦନ ରହିଥିଲା । ଏହି ଅଭିଯୋଗ ଗୁଡ଼ିକ ମଧ୍ୟରେ ୯ ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା ଏବଂ ଅନ୍ୟାନ୍ୟ ଅଭିଯୋଗ ଗୁଡ଼ିକ ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ଡ଼ା. ଗଭାଲି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦାଖଲ ହୋଇଥିବା ଅଭିଯୋଗ ଗୁଡ଼ିକ ମଧ୍ୟରେ ରାସନ୍ କାର୍ଡ, ବିଦ୍ୟାଳୟ ସମସ୍ୟା, ରାସ୍ତା ଘାଟ ମରାମତି, ସ୍ବାସ୍ଥ୍ୟ ସମସ୍ୟା, ଭତ୍ତା ଆଦି ପ୍ରମୁଖ ରହିଥିଲା। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଟାଙ୍ଗରପାଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଏଶ୍ଚଯ୍ୟା ଭୂୟାଁ ଏବଂ ତହସିଲଦାର ସୂର୍ମି ସୋରେନ ତଥା ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।