ଘୋଘର ଧାମରେ ୧୦ ହଜାରରୁ ଉର୍ଦ୍ଧ୍ୱ କାଉଡ଼ିଆଙ୍କ ଜଳାଭିଷେକ

ରାଉରକେଲା,୧୭/୭(ଉତ୍କଳ ସମାଚାର): ଶ୍ରାବଣ ମାସର ଦ୍ୱିତୀୟ ସୋମବାରକୁ ନେଇ ରାଜଗାଙ୍ଗପୁରସ୍ଥିତ ଘୋଘର ଧାମ ଶୈବ ପୀଠରେ ୧୦ ହଜାରରୁ ଉର୍ଦ୍ଧ୍ୱ କାଉଡ଼ିଆ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଥିଲେ । ଏହି କାଉଡ଼ିଆମାନେ ବେଦବ୍ୟାସ ତ୍ରିବେଣୀ ସଂଗମରୁ ଜଳାନେଇ ଘୋଘର ଧାମକୁ ଗସ୍ତ କରିଥିଲେ । ବେଦବ୍ୟାସ ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ବିଶେଷ କରି ବିଜୁଳି ଲାଇଟ୍‌, ପିଇବା ପାଣି, ସ୍ୱାସ୍ଥ୍ୟ ପରିମଳ, ଘାଟର ସଫେଇ, ନଦୀ ନିକଟରେ ବାଉଁସର ବ୍ୟାରିକେଟ ଓଡ୍ରାଫ୍ଟ ଟିମକୁ ମୁତୟନ କରାଯାଇଥିଲା । ଏହା ସହ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସଂନ୍ଧ୍ୟା ୮ ଟାରୁ କାଉଡ଼ିଆମାନେ ରାଉରକେଲାରୁ ବାହାରି ବେଦବ୍ୟାସ ପହଚିଂଥିଲେ । ବେଦବ୍ୟାସରୁ ଜଳ ନେଇ ଘୋଘର ଧାମ ଗସ୍ତ କରିଥିଲେ । ଏଥର ପଶ୍ଚିମ ଓଡ଼ିଶା ସହ ଝାରଖଣ୍ଡ, ଛତିଶଗଡ଼ରୁ କାଉଡ଼ିଆମାନେ ଯୋଗ ଦେଇଥିଲେ । ରାସ୍ତାରେ ଅନେକ ସାମାଜିକ ସଂଗଠନ ପକ୍ଷରୁ ପ୍ରସାଦ ବଟଂନ ସହ ଭଜନ ସଂନ୍ଧ୍ୟାର ଆୟୋଜନ ମଧ୍ୟ କରାଯାଇଥିଲା । ବିଶେଷ କରି ବେଲଡ଼ିହି କାଉଡ଼ିଆ ସେବା ସଂଘ ପକ୍ଷରୁ ଚା’, ବିସ୍କୁଟ, ପିଇବା ପାଣି ସହ ଗାଧୋଇବା ପାଣିର ବ୍ୟବସ୍ଥା କରାଯାଇଥିଲା । ଗତ ୩୮ ବର୍ଷରୁ ସଂଘ ପକ୍ଷରୁ କାଉଡ଼ିଆମାନଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି । ସେହିପରି ମାଣ୍ଡିଆକୁଦର ସ୍ଥିତ ଅଗ୍ରସେନ ସ୍ପଞ୍ଜ ପକ୍ଷରୁ କାଉଡ଼ିଆମାନଙ୍କ ପାଇଁ ପ୍ରସାଦ ସେବନ ସହ ସ୍ଥାନୀୟ ଭଜନ କଳାକାରମାନଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ କରାଯାଇଥିଲା । ଅଗ୍ରସେନ ସ୍ପଞ୍ଜର ନିର୍ଦ୍ଦେଶକ ରାଜ କୁମାର ଦଧିଚି ସହ କୁଶଲ ଦଧିଛି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିଲା । ଏହା ସହ କାଂଶବାହାଲ ଓ ରାଜଗାଙ୍ଗପୁରରେ କାଉଡ଼ିଆମାନଙ୍କ ପାଇଁ ଅନ୍ୟ ସଂଗଠନ ପକ୍ଷରୁ ଚା’ର ବ୍ୟବସ୍ଥା କରାଯାଇଥିଲା । ସେହିପରି ବେଦବ୍ୟାସରୁ ଜଳ ନେଇ ଦେଓଗାଁ ସ୍ଥିତ ବାବା ଧବଳେଶ୍ୱର ମନ୍ଦିରରେ କାଉଡ଼ିଆମାନେ ଜଳାଭିଷେକ ପାଇଁ ଆସିଥିଲେ । ଆଜି ଧବଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ସହରର ଅନେକ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *