ରଥଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ରାଉରକେଲା, ୮/୬ (ଉତ୍କଳ ସମାଚାର): ଇସ୍ପାତ ସହର ରାଉରକେଲାରେ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାକୁ ନେଇ ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟିର ପଦାଧିକାରୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଉଦିତନଗର ଆଇଟିଡ଼ିଏ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦ ଜୁନରେ ବାହାରିବାକୁ ଥିବା ରଥଯାତ୍ରାକୁ ନେଇ କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ ନହୁଏ ତାହାକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକର ଅଧ୍ୟକ୍ଷତା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି କମିଶନର ଡ଼ାକ୍ତର ଶୁଭଙ୍କର ମହାପାତ୍ର କରିଥିଲେ । ବୈଠକରେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଡ଼ିଏଫଓ ଯଶବନ୍ତ ସେଠୀ, ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମାଝି, ଅତିରିକ୍ତ ଏସପି ଡ଼ିକେ ଭୋଇ ମଂଚାସୀନ ଥିଲେ । ବିଶେଷ କରି ବୈଠକରେ ବିଭିନ୍ନ ରଥଯାତ୍ରା କମିଟିର ପଦାଧିକାରୀମାନେ ରୋଡ଼ ମରାମତି କରିବା, ବିଜୁଳି ତାର ଓ କେବୁଲ ତାରକୁ ମୁଖ୍ୟମାର୍ଗରୁ ହଟାଇବା, ଗଛର ଡ଼ାଳ କାଟିବା, ପାଣି ବିଜୁଳିର ସମସ୍ୟାକୁ ଦୂର କରିବା, ସାନିଟାଇଜର ଓ ବ୍ଲିଚିଂ ପାଉଡ଼ର ଛିଚଂନ କରିବା, ଆମ୍ବୁଲାନ୍ସ ବ୍ୟବସ୍ଥା, ସିଟି ଟିଭି ବ୍ୟବସ୍ଥାକୁ ସୁଦୃଢ଼ କରିବା, ରଥଯାତ୍ରା ଦିନ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରିବା, ଏହା ଦ୍ୱାରା ଜଗନ୍ନାଥ ମାଉସୀ ଘରକୁ ଯିବା ସମୟରେ କୌଣସି ପ୍ରକାରର ଅସୁବିଧା ନହେଉ, ପୋଲିସ ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଗଲା ଯେ, ସବୁପ୍ରକାରର ଅସୁବିଧା ଉପରେ ଗୁରୁତ୍ୱ ଦିଆଯିବ । ଉକ୍ତ ବୈଠକରେ ଆରଏସପି ପଦାଧିକାରୀ, ପିଡ଼ବ୍ଲୁଡ଼ି, ପିଏଚଡ଼ି, ଆରଏମସି ସମେତ ବିଭିନ୍ନ ରଥଯାତ୍ରା କମିଟିର ପଦାଧିକାରୀମାନଙ୍କ ମଧ୍ୟରେ ଗିରିଜା ଶଙ୍କର ଦ୍ୱିବେଦୀ , ହରି ରାଉତ ରାୟ, ସୁନାକର ନାୟକ, ରମାନନ୍ଦ ଶ୍ରୀଚନ୍ଦନ, ଦିଲିପ କର, ବିଜୟ ପ୍ରଧାନ, ହରମୋହନ ମହାପାତ୍ର, ନରହରି ଖଡ଼ଙ୍ଗା ସମେତ ଅନ୍ୟାନ୍ୟ ରଥଯାତ୍ରା କମିଟିର ପଦାଧିକାରୀ ଓ ଅଳ୍ପ ସଂଖ୍ୟକ ସମୁଦାୟର ଲୋକ ଉକ୍ତ ବୈଠକରେ ଯୋଗ ଦେଇଥିଲେ ।