ଢେଙ୍କାନାଳ ଜିଲ୍ଲା ପରଜଙ୍ଗ  ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

କଙ୍କଡାହାଡ,୮/୬ (ଉତ୍କଳ ସମାଚାର): : ମୋଦି ସରକାରରେ ଓଡ଼ିଶାର ସମ୍ମାନ, ଗୌରବ ଓ ଓଡିଆ ଅସ୍ମିତାକୁ ପ୍ରାଥମିକତା ଦିଆଯିବା ଦେବା ସହ ବିଗତ ୯ ବର୍ଷରେ ଅନେକ ଜନକଲ୍ୟାଣକାରୀ କାମ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀ ଏବଂ ଢେଙ୍କାନାଳର ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ଦିଆଯାଉଥିବା ଚାଉଳ ପାଇଁ ମୋଦି ସରକାର ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ହିସାବରେ ମୋଦି ସରକାର କେବଳ ଢେଙ୍କାନାଳର ହିତାଧିକାରୀଙ୍କ ପାଇଁ ମାସିକ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଗୁରୁବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।    

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରଙ୍କ ଶାସନର ୯ ବର୍ଷ ପୂରଣ ହୋଇଛି । ବିଗତ ୯ ବର୍ଷକୁ ସମୀକ୍ଷା କଲେ ଅନେକ ଗରିବ କଲ୍ୟାଣକାରୀ ଯୋଜନା ଭାରତର ସବୁ ଗରିବଙ୍କ ପାଇଁ ଉପଲବ୍ଧ ହୋଇଛି । ଢେଙ୍କାନାଳ ପାଇଁ ହୋଇଥିବା କଲ୍ୟାଣକାରୀ ଯୋଜନାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପ୍ରାୟ ୮୦ ହଜାର ଏବଂ ପିଏମ ଆବାସ ଯୋଜନାରେ ସହରରେ ପ୍ରାୟ ୧୦ ହଜାର ଘର ମୋଦି ଦେଇଛନ୍ତି । କଙ୍କଡାହାଡ଼ରେ ୧୦ ହଜାର ୭୧୨ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରହିଥିବା ବେଳେ ମୋଦି ସରକାର ଏଥିପାଇଁ  ୧୨୯ କୋଟି ଟଙ୍କା ଦେଇଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କ ଘରେ ଉଜ୍ଜଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ଦିଆଯାଇଛି । ଏଥିପାଇଁ ମୋଦି ସରକାର ପ୍ରାୟ ୩୨ କୋଟି ପ୍ରଦାନ କରିଛନ୍ତି । ଜିଲ୍ଲାକୁ ସୌଭାଗ୍ୟ ଯୋଜନାରେ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି । ମାଆ ମାନଙ୍କର ବିକାଶ ପାଇଁ ଋଣ ଦିଆଯାଇଛି । ଢେଙ୍କାନାଳର ୭ ଲକ୍ଷ ୬ ହଜାର ୫୭୬ ଜଣ ହିତାଧିକାରୀଙ୍କୁ ମୁଦ୍ରା ଯୋଜନା ରେ ୨୭୭୯ କୋଟି ଟଙ୍କାର ଋଣ ଦେବା ପାଇଁ ଅନୁମୋଦନ ଦିଆଯାଇଛି । ମାତ୍ର ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନା ପାରୁନାହିଁ । କଙ୍କଡାହାଡ ଓ ଢେଙ୍କାନାଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ଓଡ଼ିଶାରେ ଦାୟିତ୍ୱରେ ଥିବା ଲୋକମାନେ ସେହି ଟଙ୍କାକୁ ଗରିବ ଲୋକଙ୍କ ବିକାଶ କାମରେ ଖର୍ଚ୍ଚ ନ କରୁନାହାନ୍ତି, ଯାହା ଦୁଃଖଦାୟକ । ଆନ୍ତରିରତା ଅଭାବ କାରଣରୁ ଓଡ଼ିଶାରେ ଗରିବଙ୍କୁ ଘର ମିଳୁନାହିଁ । ପ୍ରତି ଘରକୁ ପିଇବା ପାଣି ପହଞ୍ଚି ପାରୁନାହିଁ । ମହିଳାଙ୍କର ବିକାଶ ହୋଇପାରୁନାହିଁ । ମୋଦି ପଠାଉଥିବା ଟଙ୍କା ଗରିବଙ୍କ କାମରେ ଆସୁନାହିଁ ।

Leave a Reply

Your email address will not be published. Required fields are marked *