ଆରକ୍ଷୀ ଅଧିକ୍ଷକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଯୁବ କଂଗ୍ରେସ ସଭାପତି
ରାଉରକେଲା, // 31/05/23 // (ଉତ୍କଳସମାଚାର) // : ରାଉରକେଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ । ଆଜି ଅପରାହ୍ନର ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଶ୍ରୀ ଦାସଙ୍କ ସମେତ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଇସ୍ତେହାର ମହମ୍ମଦ, ସାଧାରଣ ସମ୍ପାଦକ ମୁକେଶ ସିଂହ, ଯୁବନେତା ସୁମୀତ କଂସାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସାକ୍ଷାତକାର ବେଳେ ଶ୍ରୀ ଦାସ ସହରର ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଏହା କିପରି ଅଧିକ ମାତ୍ରାରେ ସୁରକ୍ଷିତ ତଥା ସଙ୍ଗଠିତ ହୋଇପାରିବ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ସହରରେ କଣ୍ଟା, ସଟ୍ଟା, ବିଭିନ୍ନ ମାଦକଦ୍ରବ୍ୟର ଅବାଧ କାରବାର ଉପରେ ଅଙ୍କୁଶ ଲଗାଇବା ସହ ସହରବାସୀଙ୍କ ଜୀନବଯାପନ ଶୈଳୀକୁ ସରସ ସୁନ୍ଦର କରିବାକୁ ଶ୍ରୀ ଦାସ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ ଜଣାଇଥିଲେ । ଆହୁରି ମଧ୍ୟ ବିଭିନ୍ନ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ବହୁ ଅସାମାଜିକ ତତ୍ତ୍ୱଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ତେବେ ନୂତନ ଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ମହାପାତ୍ର ଉପରୋକ୍ତ ପ୍ରସଙ୍ଗ ପ୍ରତି ବିଶେଷ ଅନୁଧ୍ୟାନ କରି ଏ ଦିଗରେ ବିହିତ ପଦକ୍ଷେ ଗ୍ରହଣ କରିବେ ବୋଲି ଶ୍ରୀ ଦାସଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।