ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଉପେକ୍ଷା ନିଷ୍ପତ୍ତିର ପ୍ରତିବାଦ
ରାଉରକେଲା, // 27/05/2023 //(ଉତ୍କଳ ସମାଚାର) // ନବନିର୍ମିତ ସଂସଦ ଭବନର ଆସନ୍ତା ୨୮ ତାରିଖରେ ଉଦ୍ଘାଟନ କାର୍ଯ୍ୟକ୍ରମ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଉପେକ୍ଷା କରାଯିବା ନିଷ୍ପତ୍ତିର ରାଉରକେଲା ଜିଲ୍ଲା ଆଦିବାସୀ କଂଗ୍ରେସ ତରଫରୁ ତୀବ୍ର ପ୍ରତିବାଦ କରାଯାଇଛି । ଆଜି ଜିଲ୍ଲା କଂଗ୍ରେସର ଆଦିବାସୀ ବିଭାଗ ତରଫରୁ ଏହିମର୍ମରେ ଏକ ସ୍ମାରକପତ୍ର ସ୍ଥାନୀୟ ପାନପୋଷ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜ୍ଞାପନ କରାଯାଇଛି । ଏହି ସ୍ମାରକପତ୍ରରେ ସଂସଦ ସମ୍ବିଧାନର ଆତ୍ମା ବୋଲି କୁହାଯାଇ ଏହି ନବନିର୍ମିତ ସଂସଦ ଭବନକୁ ଉଦ୍ଘାଟନ କରିବା ମହାମହିମ ରାଷ୍ଟ୍ରପତିଙ୍କ ଅଧିକାର ବୋଲି କୁହାଯାଇଛି । ସାମ୍ବିଧାନିକ ବ୍ୟବସ୍ଥାରେ ସର୍ବୋଚ୍ଚ ପଦବୀରେ ଥିବା ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ନବନିର୍ମିତ ଭବନକୁ ଉଦ୍ଘାଟନ କରାନଯାଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ମହାମହିମ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା ହାନୀ କରିବା ସହିତ ସଂକୀର୍ଣ୍ଣ ଜାତିଆଣ ମନୋଭାବର ପରିଚୟ ଦେଉଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌଉପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ଆଜି ସାମ୍ବିଧନିକ ବ୍ୟବସ୍ଥା ମଧ୍ୟରେ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ଦେଶର ଗାରିମାକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛନ୍ତି । ତେଣୁ ସମ୍ବିଧାନ, ଆଦିବାସୀ ସମ୍ପ୍ରଦାୟ ତଥା ମହିଳା ସମାଜର ମର୍ଯ୍ୟାଦା ଦୃଷ୍ଟିରୁ କେନ୍ଦ୍ର ସରକାର ଏ ପ୍ରକାର ସ୍ୱେଚ୍ଛାଚାର ନୀତିରୁ ନିବୃତ୍ତ ରହି ଉକ୍ତ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା କରାଇବାକୁ ସ୍ମାରକପତ୍ରରେ ଦାବି କରାଯାଇଛି । ଜିଲ୍ଲା କଂଗ୍ରେସର ଆଦିବାସୀ ବିଭାଗ ଅଧ୍ୟକ୍ଷ ରାଜେଶ ଟପ୍ପୋଙ୍କ ନେତୃତ୍ୱରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପିସିସି ସାଧାରଣ ସମ୍ପାଦକ ବିରେନ ସେନାପତି, ପିସିସି ସଭ୍ୟ ରବି ରାୟ, ପ୍ରଭାତୀ ମିଶ୍ର, ସନ୍ତୋଷ ବିଶ୍ୱାଳ, ଓବିସି ରାଷ୍ଟ୍ରୀୟ ସହସଂଯୋଜକ କୈଳାସ ସାହୁ, ପିସିସି ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକ, ବରିଷ୍ଠ ନେତା ଭାସ୍କର ଖିଲ୍ଲାର, ପିସିସି ସଭ୍ୟ ସୁଶୀଲ କିଣ୍ଡୋ, ପିସିସି ସମ୍ପାଦିକା ସୁନୀତା ଲାକ୍ରା, ରୋଶନ ତିର୍କୀ, ବ୍ଲକ୍ ସଭାପତି ପ୍ରଦ୍ୟୁମ୍ନ ଷଡଙ୍ଗୀ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ଗୀତା ସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଦଳ ତରଫରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ।