ଓଡ଼ିଶାରେ ଘର ପଛପଟେ କୁକୁଡା ପାଳନ ପାଇଁ ଡାଲମିଆ ସିମେଣ୍ଟ ଓ ନାବାର୍ଡର ମିଳିତ ପ୍ରୟାସ
-ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ପ୍ରକଳ୍ପ ଗ୍ରାମାଞ୍ଚଳରେ ୩୦୦ ପରିବାରଙ୍କୁ ସଶକ୍ତ କରିବ-
ରାଜଗାଙ୍ଗପୁର , ୨୫/୫ (ଉତ୍କଳ ସମାଚାର):ଏକ ଅଗ୍ରଣୀ ଭାରତୀୟ ସିମେଣ୍ଟ ଉତ୍ପାଦନକାରୀ ତଥା ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍)ର ଏକ ସହଯୋଗୀ ସଂସ୍ଥା ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍) ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁରଠାରେ ନାବାର୍ଡ ସହଯୋଗରେ ଏକ ନୂତନ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ପ୍ରୟାସ ‘ଘର ପଛପଟେ କୁକୁଡା ପାଳନ ଉପରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ଗଠନ’ ହାତକୁ ନେଇଛି । ଭାରତରେ କୁକୁଡା ପାଳନ ଏକ ସଫଳ ଏବଂ ଲାଭଜନକ କ୍ଷେତ୍ର ହୋଇଛି ଏବଂ ଏହା ଦେଶର ମାଂସାହାରୀ ଜନସଂଖ୍ୟା ନିମନ୍ତେ ପ୍ରୋଟିନ୍ର ଏକ ଉଲ୍ଲେଖନୀୟ ଉତ୍ସ ଯୋଗାଇ ଦେଉଛି । ଡିସିବିଏଲ୍ ଏବଂ ନାବାର୍ଡ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମ୍ଓୟୁ)ର ଅଂଶ ଭାବରେ ଏହି ପ୍ରକଳ୍ପ ଗ୍ରାମାଞ୍ଚଳରେ ତିନିବର୍ଷ ସମୟ ସୀମା ମଧ୍ୟରେ ୩୦୦ ପରିବାରଙ୍କୁ କୁକୁଡା ପାଳନ ଜରିଆରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ଯୋଗାଇଦେବ ।
ଏହି ପ୍ରକଳ୍ପକୁ ସଫଳତାର ସହିତ ଆଗେଇନେବା ପାଇଁ ‘ଫ୍ଲେଶି ଚିକେନ୍ ଫାର୍ମର ପ୍ରୁଡ୍ୟୁସର କମ୍ପାନୀ ଲିମିଟେଡ’ ନାମରେ ଏକ ଉତ୍ସର୍ଗୀକୃତ ଏଫ୍ପିଓ ସ୍ଥାପନ ସହିତ ତାହାକୁ ଏମଏସ୍ଏମଇ ଅଧୀନରେ ପଞ୍ଜିକୃତ କରାଯାଇଛି । ଗୋଷ୍ଠୀରୁ ଶ୍ରୀମତୀ ଲିଳେନ୍ଦ୍ରୀ ନାଏକଙ୍କୁ ଚେୟାରମ୍ୟାନ ଏବଂ ଶ୍ରୀ ଲାଲମେନ ନାଗ୍ଙ୍କୁ ସିଇଓ ଭାବରେ ଏହାର କାର୍ଯ୍ୟ ପରିଚାଳନା, ବଜାର ସଂଯୋଗୀକରଣ ଏବଂ ପ୍ରକଳ୍ପ ପରିଚାଳନା, ସଫଳ ରୂପାୟନ ସୁନିଶ୍ଚିତ କରିବା ସକାଶେ ନିଯୁକ୍ତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପାରିପାର୍ଶ୍ଵିକ ଗ୍ରାମଗୁଡିକରୁ ୪୦ ପରିବାରଙ୍କୁ ୧୦୦ ଟି ଲେଖାଏଁ ଦିନିକିଆ ବ୍ରଏଲର କୁକୁଡା ଚିଆଁ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ୪୦ ଦିନ ମଧ୍ୟରେ ଏହି ପ୍ରୟାସ ଉଲ୍ଲେଖନୀୟ ଭାବରେ ଅଗ୍ରଗତି ହାସଲ କରୁଛି ଏବଂ ପ୍ରତି ପରିବାର ଏହି ଉଦ୍ୟୋଗ ଜରିଆରେ ମାସକୁ ୭ ହଜାର ଟଙ୍କାରୁ ୧୦,୫୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଅଗ୍ରଗତି ହାସଲ ସହ ଚଳିତ ତ୍ରୈମାସିକରେ ୧୦୦ ପର୍ଯ୍ୟନ୍ତ ପରିବାରକୁ ଏଥିରେ ଯୋଗ କରିବା ସକାଶେ ଆଗେଇ ଚାଲିଛି । ଏହି ଉଲ୍ଲେଖଯୋଗ୍ୟ ସଫଳତାକୁ ପାଳନ କରିବାକୁ ଡିସିବିଏଲ୍ ବିହାବନ୍ଧରେ ଥିବା ଏଫପିଓର ପଞ୍ଜିକୃତ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ୍ ଏବଂ ୟୁନିଟ ହେଡ-ରାଜଗାଙ୍ଗପୁର, ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ଼.ନୀଳାଦ୍ରି ଭୂଷଣ ପାଢ଼ୀ, ଓମ୍ ପ୍ରକାଶ ଖେଲକର (ଏଇଡି-ଡିସିବିଏଲ୍), ଶ୍ରୀ ତାପସ କୁମାର ବେହେରା, ନାବାର୍ଡ ସୁନ୍ଦରଗଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ, ଶ୍ରୀ ବିକାଶ ପଟ୍ଟନାୟକ, ଶାଖା ପ୍ରବନ୍ଧକ, ୟୁକୋ ବ୍ୟାଙ୍କ, ରାଜଗାଙ୍ଗପୁର ଏବଂ ଶ୍ରୀମତୀ ଲିଳେନ୍ଦ୍ରୀ ନାଏକ, ଚେୟାରମ୍ୟାନ, ଫ୍ଲେଶି ଚିକେନ୍ ଫାର୍ମର ପ୍ରଡୁ୍ୟସର କମ୍ପାନୀ ଲିମିଟେଡଙ୍କ ସମେତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।