“କବିତା ଆପଣଙ୍କର ସୁର ଓ ସ୍ୱର ମୋର” କାର୍ଯ୍ୟକ୍ରମ


:ରାଉରକେଲା // ୨୨/୫,(ଉତ୍କଳ ସମାଚାର):// ରାଉରକେଲା ସିଭିକ୍ ସେଂଟର ଠାରେ ‘ଜୟଦେବ କଳା ବିକାଶ କେନ୍ଦ୍ର’ ଆନୁକୂଲ୍ୟରେ ‘କବିତା ଆପଣଙ୍କର ସୁର ଓ ସ୍ୱର ମୋର’ କାର୍ଯ୍ୟକ୍ରମ ଗତ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ତଥା ଏହି ଫିନେଲ ପର୍ଯ୍ୟାୟରେ ଚୟନ ହୋଇଥିବା ୧୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଲଟେରୀ ମାଧ୍ୟମରେ ପ୍ରତିଯୋଗୀଙ୍କୁ ଏକ ଘଂଟା ପୂର୍ବରୁ ଗୀତି କବିତାକୁ ଦିଆ ଯାଇଥିଲା, ଯାହା ସେମାନେ ଅନ୍ୟ କାହାର ପ୍ରତ୍ୟକ୍ଷ ବା ପରୋକ୍ଷ ସାହାଯ୍ୟ ନ ନେଇ ନିଜସ୍ୱ ପ୍ରସ୍ତୁତି ସ୍ୱରରେ ସଙ୍ଗୀତ ସଜାଇଥିଲେ ଓ ବାଦ୍ୟ ଯନ୍ତ୍ର ସହ ସେମାନଙ୍କୁ ପ୍ରସ୍ତୁତ କରିଥିଲେ । ସେମାନଙ୍କୁ ବାଦ୍ୟଯନ୍ତ୍ର ପରିଚାଳନାରେ ସହଯୋଗ କରିଥିଲେ ସହରର ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଭାସ୍କର ପୁହାଣ, ଡ.ସୁଶାନ୍ତ କୁମାର ପାଣି ଓ ଶ୍ୟାମସୁନ୍ଦର ପଟ୍ଟନାୟକ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଏଥିରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ ଭୁବନେଶ୍ୱରରୁ ଆସିଥିବା ପ୍ରଖ୍ୟାତ କଂଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ବୈଷ୍ଣବ କଳାସ, ଦେବଗଡ଼ର ଗୀତିକାର ତଥା ସଙ୍ଗୀତ କଂଠଶିଳ୍ପୀ ରାଜେନ୍ଦ୍ର ବେହେରା ଓ ସୁନ୍ଦରଗଡ଼ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ କଂଠଶିଳ୍ପୀ ଦୋଳ ଗୋବିନ୍ଦ ଗର୍ଡ଼ିଆ । ୩ ଜଣ ପ୍ରତିଯୋଗୀଙ୍କୁ ଯୋଗ୍ୟତା ଭିତିରେ ୫ ହଜାର, ୪ ହଜାର ଓ ୩ ହଜାର ଟଙ୍କା ଅର୍ଥ ରାଶୀ ପ୍ରଦାନ କରାଯାଇଥିବାବେଳେ ଅନ୍ୟ ୭ ଜଣଙ୍କୁ ୧ ହଜାର ଟଙ୍କା ସହିତ ସ୍ମୃତି ଫଳକ, ପ୍ରଶସ୍ତି ପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରଥମ ପର୍ଯ୍ୟାୟରେ ଭାଗ ନେଇଥିବା ଅନ୍ୟ ୪୦ ଜଣ ପ୍ରତିଯୋଗୀଙ୍କୁ ପ୍ରଶସ୍ତି ପତ୍ର ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୧୫ ଜଣ ଗୀତିକାର ଏବଂ ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ କେଟିଏଚ୍ ର ନିର୍ଦ୍ଦେଶକ ତଥା ସହରର ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଉତମ ଚରଣ ଜେନା, ନିତ୍ୟାନନ୍ଦ ସିଙ୍ଘଲ, ମାନସ ରଞ୍ଜନ ଉପାଧ୍ୟାୟ, ଗୌତମ ମିଶ୍ର, ପ୍ରଫୁଲ କୁମାର ସୁନାନୀ, ରବି ଦାସ, ରାଜୀବ ପାଣି ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ । ଜୟଦେବ କଳା ବିକାଶ କେନ୍ଦ୍ରର ସଂପାଦକ ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟକ୍ରମର ରୂପରେଖ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ସହରର ବିଶିଷ୍ଟ ସମାଜସେବୀ ସଞ୍ଜୀବ କୁମାର ମହାନ୍ତି, ପୀତାମ୍ବର ଲେଙ୍କା, ପ୍ରଭାତ କୁମାର ମହାନ୍ତି, କ୍ରିଷ୍ଣା ସିଂ, ପରଭେଜ୍ ଅରୋରା, ମଧୁସୁଦନ ମହାପାତ୍ରଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ଦିବଙ୍ଗତ ତାବଲା ବାଦକ ଖଗେଶ୍ୱର ଓଝା, ସଙ୍ଗୀତ ନିର୍ଦ୍ଦେଶକ ମିହିର ଦାସ, ସଙ୍ଗୀତ ଗୁରୁ ସୁବ୍ରତ ବିଶ୍ୱାଳ, ନାଟ୍ୟକାର ପ୍ରହ୍ଲାଦ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଭାଷ ରଞ୍ଜନ ରାଉତରାୟ ପ୍ରଥମ, ସୃତିପ୍ରିୟା ଜେନା ଦ୍ୱିତୀୟ, ବଂଶୀଧର ସାହୁ ତୃତୀୟ ଓ ୪ର୍ଥ ରୁ ୧୦ମ ସ୍ଥାନ ଅଧିକାର କରିଥିବା ଯଥାକ୍ରମେ ବିଜନ କୁମାର ପାତ୍ର, ମିନ୍‌କି ମହାନ୍ତି, ଶ୍ରୀମତୀ ଝୁନୁ ନାୟକ, ମିନାକ୍ଷୀ ମହାରଣା, ରୀନା କଦମ୍‌ବାଲା, ଲକ୍ଷ୍ମୀପ୍ରିୟା ବେହେରା ଓ ଅଙ୍କିତା ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ୱର୍ଗତ ମିହିର ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ ବିରଜା ଦାସ, ସ୍ୱର୍ଗତ ପ୍ରହ୍ଲାଦ ମହାନ୍ତିଙ୍କ ଧର୍ମପତ୍ନୀ ଶ୍ରୀମତୀ ସବିତା ନାୟକ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପଣ୍ଡିତ କାଶୀନାଥ ପଣ୍ଡାଙ୍କ ଦ୍ୱାରା ଶ୍ଳୋକ ପାଠ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ତନ୍ମୟ, ପ୍ରଜ୍ଞା, ସ୍ନେହଲତା, ଗୁନଗୁନ, ପୂଜା, ଉଦଘୋଷିକା ଝିଲିମା ମହାନ୍ତି ମଂଚ ପରିଚାଳନାରେ ସହଯୋଗ କରିଥିବା ବେଳେ କବି ତଥା ଗୀତିକାର ବ୍ରଜେନ୍ଦ୍ର ଦାଶ, ନରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *